ଓଡ଼ିଶାରେ ତାମ୍ର, ପ୍ରସ୍ତର ଯୁଗର ପ୍ରମାଣ

145

ଆଠଗଡ, ୭ା୬(ଆପ୍ର): ଓଡ଼ିଶାରେ ତାମ୍ର, ପ୍ରସ୍ତର ଯୁଗ ସଭ୍ୟତାର ଯଥେଷ୍ଟ ପ୍ରମାଣ ରହିଛି ବୋଲି ତଳଗଡ ଖନନସ୍ଥଳରୁ ଆବିଷ୍କୃତ ସାମଗ୍ରୀରୁ ଜଣାପଡିଛି । ଏହା ସହିତ ରାଜ୍ୟ ଅନ୍ୟ ସ୍ଥାନମାନଙ୍କରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ସାମଗ୍ରୀର ଅନେକ ସାମଞ୍ଜସ୍ୟ ରହିଥିବା ଐତିହାସିକ ମାନେ ମତ ଦେଇଛନ୍ତି । ଖନନସ୍ଥଳରେ ଚଳିତବର୍ଷ ପାଇଁ କାର୍ଯ୍ୟ ବନ୍ଦ କରାଯିବା ପରିପ୍ରେକ୍ଷୀରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ସହକାରୀ ପ୍ରଫେସର ଉମାକାନ୍ତ ମିଶ୍ର କହିଛନ୍ତି ଯେ ତଳଗଡରୁ ଆବିଷ୍କୃତ ସାମଗ୍ରୀ ଏଠାରେ ବହୁ ପ୍ରାଚୀନ କାଳରୁ ଅର୍ଥାତ ତାମ୍ର, ପ୍ରସ୍ତର ଯୁଗର ସଭ୍ୟତା ରହିଥିବା ପ୍ରତିପାଦିତ କରୁଛି । ପୂର୍ବରୁ ଏଠାରୁ ୪ର୍ଥ ସ୍ତରରୁ ଆବିଷ୍କୃତ ଯୁବକର କଙ୍କାଳ ପରେ ଏବେ ୧୦ମ ସ୍ତରରୁ ଆଉ ଏକ ଶିଶୁର କଙ୍କାଳ ଆବିଷ୍କୃତ ହୋଇଥିବା ଜଣାଯାଇଛି । ଏହି କଙ୍କାଳଟି ଗୋଟିଏ ପାତ୍ରରେ ରଖାଯାଇଥିବା ଦେଖିବାକୁ ମିଳିଛି । ଅର୍ଥାତ୍ ସେତେବେଳେ ଶିଶୁଟିର ମୃତୁ୍ୟପରେ ତାହାର ଶବକୁ ଏକ ମାଟିପାତ୍ରରେ ରଖି ଚଟାଣ ତଳେ ପୋତି ଦିଆଯାଇଥିବା ଜଣାପଡିଛି ।
ଡ. ମିଶ୍ରଙ୍କ କହିବାନୁଯାୟୀ, ଏହି ସଭ୍ୟତା ଖ୍ରୀ.ପୂ. ୧୭୦୦ରୁ ଖ୍ରୀ.ପୂ ୧୧୦୦ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି । ସୁତରାଂ ଏହି ସମୟରେ ଓଡ଼ିଶା ତଥା ପୂର୍ବ ଭାରତ ଅଞ୍ଚଳରେ ତାମ୍ର, ପ୍ରସ୍ତର ଯୁଗର ସଭ୍ୟତା ଅଭୁ୍ୟଥାନ ହୋଇଥିବା ଅନୁମାନ କରାଯାଉଛି । ଏଥିସହିତ ଖନନସ୍ଥଳରୁ ବହୁ ସଂଖ୍ୟକ ମସୃଣ ମାଟିପାତ୍ର ମଧ୍ୟ ମିଳିଛି । ଏଗୁଡିକରେ ବି ସୂତା ବ୍ୟବହାର କରାଯାଇ ସୁନ୍ଦର କରାଯିବା ସହିତ ଘଷିଘଷି ଯଥେଷ୍ଟ ମସୃଣ କରାଯାଇଛି । ଯାହାକି ଚିନାମାଟି ମାତ୍ର ଭଳି ପ୍ରତୀୟମାନ ହେଉଥିବା ଦେଖାଦେଇଛି । ଖନନସ୍ଥଳରୁ ହାଡ ଓ ପଥରରେ ତିଆରି ହାତହତିଆର, ମୂଲ୍ୟବାନ ପଥରରେ ତିଆରି ମାଳି ମଧ୍ୟ ମିଳିଛି । ଡ. ମିଶ୍ର ପୋଡାମାଟିରେ ତିଆରି ଏହି ସାମଗ୍ରୀ ଗୁଡିକ ସେତେବେଳ ମାନବ ସମାଜର ରୁଚି ସମ୍ପର୍କରେ ସୂଚନା ଦେଉଥିବା କହିଛନ୍ତି । ସେ କହିଛନ୍ତି ଯେ ହରପ୍ପାର ପରବର୍ତ୍ତୀ ସମୟର ସଭ୍ୟତା ସହିତ ତଳଗଡ ସଭ୍ୟତାର ସାମଞ୍ଜସ୍ୟ ରହିଛି । ଖନନ ବେଳେ ବିଭିନ୍ନ ସ୍ତରରୁ ପାଉଁଶ, ଅଙ୍ଗାର ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି । ସେଥିପାଇଁ ଏହି ସ୍ଥାନରେ ଏକ ବିରାଟ ଜନବସତି ରହିଥିିବା ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, କୁଲାଇଲୋ ଅଞ୍ଚଳର ପବିତ୍ର ମୋହନ ପ୍ରଧାନ ନାମକ ଜଣେ ଛାତ୍ର ସମ୍ପୃକ୍ତ ଅଞ୍ଚଳରୁ ବିଭିନ୍ନ ଐତିହାସିକ ସାମଗ୍ରୀ ପାଇବା ପରେ ଏହାର ଖନନ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗକୁ ଅନୁରୋଧ କରିଥିଲେ । ପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା (ଏଏସ୍ଆଇ) ଅନୁମତି ଦେବା ପରେ ଚଳିତବର୍ଷ ମେ ୧୨ରୁ ଏଠାରେ ଖନନକାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ଜୁନ୍ ୭ରେ ଖନନକାର୍ଯ୍ୟ ବନ୍ଦ ରହିଛି । ତେବେ ସାନି ଅନୁମତି ମିଳିବା ପରେ ଆସନ୍ତାବର୍ଷ ଏହା ପୁଣି ଆରମ୍ଭ ହେବ । ଏଠାରୁ ଆବିଷ୍କୃତ ସାମଗ୍ରୀର ପରୀକ୍ଷା ନିରୀକ୍ଷା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନିଆଯାଇଛି । ସେଠାରୁ କିଛି ସାମଗ୍ରୀ ପ୍ରକୃତ ସମୟ ସ୍ଥିରିକୃତ ହେବା ପାଇଁ ଆମେରିକାର ଫ୍ଲୋରିଡା ପଠାଯିବା ସହିତ ବିଶ୍ୱବିଦ୍ୟାଳୟ ସ୍ତରରେ ମଧ୍ୟ ବିଶ୍ଲେଷଣ କରାଯିବ ।
ତେବେ ତଳଗଡର ତଥ୍ୟ ସହିତ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ଶାସନ ନିକଟସ୍ଥ ବଅଙ୍ଗ, ହରିରାଜପୁର ଏବଂ ଅନୁଗୁଳ ଜିଲ୍ଲାର ସାନଖେରଜଙ୍ଗ ନିକଟରୁ ମିଳିଥିବା ତଥ୍ୟର ସାମଞ୍ଜସ୍ୟ ରହିଛି । ଯାହା ପ୍ରମାଣ କରୁଛି ଯେ ଓଡ଼ିଶାରେ ପ୍ରାୟ ୪ହଜାର ବର୍ଷ ପୂର୍ବରୁ ମଧ୍ୟ ଏକ ଉନ୍ନତ ମାନବ ସଭ୍ୟତା ରହିଥିଲା । ଏ ସମ୍ପର୍କରେ ସମ୍ପୃକ୍ତ ଅଞ୍ଚଳର ଇତିହାସ ବିଭାଗ ଛାତ୍ର ତଥା ଗବେଷକ ପବିତ୍ରମୋହନ ପ୍ରଧାନ କହିଛନ୍ତି ଯେ ଆଠଗଡ ଅଞ୍ଚଳରେ ବହୁ ପୂର୍ବରୁ ଏକ ସଂସ୍କୃତି ସମ୍ପନ୍ନ ମାନବ ସଭ୍ୟତା ରହିଥିିବା ପ୍ରତିପାଦିତ ହୋଇଛି । ସୁତରାଂ ରାଜାମାନେ ଶାସନ କରିବା ପରେ ଏ ଅଞ୍ଚଳର ସଂସ୍କୃତି ବିକଶିତ ହୋଇଥିଲା ବୋଲି ପୂର୍ବରୁ ଯାହା କୁହାଯାଉଥିଲା ତାହା ଆପାତତଃ ଠିକ୍ ନୁହେଁ ବୋଲି ପ୍ରମାଣିତ ହେଉଛି ।

ସେଆର କରନ୍ତୁ:



Powered by odothemes.com