naveen-niwas-biswa-ra-smart-citi-talika-re-bhunaneswar-19-no-re--rahiba-khusi-re-BMC-meyor--nkn-netrutya-re--smart-city--karmachari--mane-cm-nku-sambardhana-janauchanti-(5)

ଓଡ଼ିଆଙ୍କ ପାଇଁ ଗର୍ବର ମୁହୂର୍ତ୍ତ

553

ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ମାନ୍ୟତା
ଭୁବନେଶ୍ୱର, ୧୪ା୩(ବୁ୍ୟରୋ): ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ହେଉଛି ଗର୍ବର ମୁହୂର୍ତ୍ତ । ଓଡିଶା ପାଇଁ ଏହା ଅଭିନନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିଶ୍ୱର ୨୦ ସ୍ମାର୍ଟ ସିଟି ମଧ୍ୟରେ ଭାରତର ଏକମାତ୍ର ସହରଭାବେ ଭୁବନେଶ୍ୱର ସ୍ଥାନିତ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି । ସେ କହିଛନ୍ତି ଯେ ଏହା ହେଉଛି ବ୍ୟକ୍ତିଗତଭାବେ ମୋ ପାଇଁ ଏକ ଗୌରବର ମୁହୂର୍ତ୍ତ । ୧୯୯୯ ମହାବାତ୍ୟା କଥା ମୋର ମନେ ଅଛି । ଏହି ସମୟରେ ଧ୍ୱଂସ ବିଧ୍ୱସ୍ତ ହୋଇଥିବା ଓଡିଶାକୁ ଆଗକୁ ବଢିବା ଲାଗି ଯେଉଁ ସଂକଳ୍ପ ନିଆଯାଇଥିଲା, ତାହା ସତ୍ୟରେ ପରିପ୍ରକାଶ ଘଟୁଛି । ବିଶ୍ୱର ଏହି ସ୍ୱୀକୃତି ପାଇଁ ଭୁବନେଶ୍ୱରର ପ୍ରତ୍ୟେକ ନାଗରିକଙ୍କର ହିଁ ଶ୍ରେୟ ରହିଛି । ଓଡିଶାକୁ ଆଗକୁ ନେବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ । ଏଥିଲାଗି ରାଜ୍ୟବାସୀ ଆମ ସରକାର ଉପରେ ଭରସା କରିବା ସହ ଲଗାତର ଆଶୀର୍ବାଦ ଦେଉଛନ୍ତି । ଆମର ସଂସ୍କୃତି, ଐତିହ୍ୟ, ଆତିଥ୍ୟତା ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ଏକ ନୂତନ ଉଦାହରଣ ସୃଷ୍ଟି କରିଛି । ସହର ମଧ୍ୟରେ ଏହା ହେଉଛି ଏକ ଅନନ୍ୟ ଅଭିଜ୍ଞତା । ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ସହ ଭୁବନେଶ୍ୱରକୁ ଭାରତର କ୍ରିଡା ରାଜଧାନୀ କରିବା ଲାଗି ପ୍ରଥମ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରକୁ ବିଶ୍ୱର ଏକ ସହରଭାବେ ପରିଗଣିତ କରିବା ସହ ରହଣୀ ଲାଗି ଏକ ସର୍ବକୃଷ୍ଟ ସ୍ଥାନଭାବେ ପରିଚୟ ଦେବା ପାଇଁ ଆମର ଲଗାତର ପ୍ରଚେଷ୍ଠା ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଭୁବନେଶ୍ୱରକୁ ଏହି ବିଶ୍ୱସ୍ତରୀୟ ମାନ୍ୟତା ମିଳିଥିବାରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର୍‌, ବିଏମ୍‌ସିର କର୍ମଚାରୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗମନାଗମନ, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ଭୁବନେଶ୍ୱରର ଉଲ୍ଲେଖନୀୟ ବିକାଶ ଯୋଗୁ ଏହି ସହର ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱକୁ ଉପସ୍ଥିତ ନେତୃବୃନ୍ଦ ଧନ୍ୟବାଦ ଜଣାଇଥିଲେ । ମେୟର ଶ୍ରୀ ଜେନା କହିଥିଲେ ଯେ ସ୍ମାର୍ଟସିଟି ପ୍ରକଳ୍ପରେ ଭୁବନେଶ୍ୱରର ଗମନାଗମନ, ପରିବହନ, ଯୋଗାଯୋଗ, ସାମାଜିକ ସୁରକ୍ଷା, ମହିଳା ସୁରକ୍ଷା ଓ ଶିଶୁଙ୍କ କଲ୍ୟାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ଆଗକୁ ଏହି ସହର ଆହୁରି ଉନ୍ନତି କରିବ । ଭୁବନେଶ୍ୱର ସହର ଏବେ ଦେଶର ଅନ୍ୟ ସହରଗୁଡିକ ଲାଗି ଅନୁକରଣୀୟ ପାଲଟିଛି, ଯାହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ।

ସେଆର କରନ୍ତୁ:



Powered by odothemes.com