Untitled-1

ଓଡିଶାରୁ କମଳା, ଦୈତାରୀ ଓ ପ୍ରକାଶ

9

୧୧୨ ଜଣଙ୍କୁ ପଦ୍ମପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, ୧୬ ।୩: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୧୧୨ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପାଇଁ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ୧୧୨ଜଣ ବ୍ୟକ୍ତିଙ୍କୁ ପଦ୍ମପୁରସ୍କାର ପାଇଁ ମନୋନୀତ କରି ସେମାନଙ୍କ ନାଁ ଘୋଷଣା କରାଯାଇଥିଲା । ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ବଲିଉଡ ଅଭିନେତା ମନୋଜ ବାଜପାୟୀ, ଭାରତୀୟ ଫୁଟବଲ ଖେଳାଳି ସୁନିଲ ଛେତ୍ରୀ, କଳା, ସଙ୍ଗୀତ ଓ ତବଲା କ୍ଷେତ୍ରରେ ପାରଦର୍ଶିତା ପାଇଁ ସ୍ୱପ୍ନ ଚୈାଧୁରୀ, ଲକ୍ଷ୍ୟ ଭେଦରେ ଯୋଗଦାନ ଓ ଭଲ ପ୍ରଦର୍ଶନ ପାଇଁ ବମ୍ବେୱାଲା ଦେବୀ ଲେଶରାମ, ଭାରତୀୟ କ୍ରିକେଟ ଟିମର ଗୌତମ ଗମ୍ଭୀର, ସାର୍ବଜନିନ ମହଲରେ ଯୋଗଦାନ କାରଣରୁ ଏଚଏସ ଫୁକ୍ଳା, ଭାରତୀୟ ବାସ୍କେଟ ବଲ ଖେଳାଳୀ ପ୍ରଶାନ୍ତି ସିଂହଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଆଜିର ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓ । ଜୈବିକ ପଦ୍ଧତିରେ ବିରଳ ଧାନ ଚାଷ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ସେ ଏ ପର୍ଯ୍ୟନ୍ତ ୧୦୦ କିସମର ଧାନ ସଂରକ୍ଷିତ କରି ରଖିଛନ୍ତି । ଜୈବିକ ସାର ପ୍ରୟୋଗ କରି ଧାନ ଚାଷରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ କୃତିତ୍ୱ ପାଇଁ କମଳା ଦିଲ୍ଲୀରେ ସମ୍ମାନିତ ହୋଇଛନ୍ତି । ସେହିପରି ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୈତାରୀ ନାୟକ ଏବଂ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ନିପଟ ମଫସଲ ଗୋନାସିକା ପଞ୍ଚାୟତର ତଳ ବେତରଣୀ ଗାଁର ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଦେତାରୀ ନାଏକ । ବେତରଣୀ ଗାଁର ଚାଷ ଜମିକୁ ବର୍ଷ ତମାମ ଜଳ ନିଅଣ୍ଟ ପଡିଥାଏ । ଫଳରେ ବର୍ଷ ତମାମ ଏଠାକାର ଲୋକେ ଜୀବନ ଜୀବିକା ପାଇଁ ସଂଘର୍ଷ କରିଥାନ୍ତି । ତେବେ ତଳବେତରଣୀ ଗାଁର ଆଦିବାସୀ ସଂପ୍ରଦାୟର ଦୈତାରୀ ନାଏକଙ୍କୁ ଏହାଖୁବ୍ ବାଧିଥିଲା । ଫଳରେ ସେ ଗୋନାସିକା ପାହାଡରେ ବହି ଯାଉଥିବା ବେତରଣୀର ଶାଖା ନଈ ପଥରକଟା ନାଳକୁ କାଟି ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ନାଳ ଖୋଳି ନିଜ ଗାଁ ଚାଷ ଜମିକୁ ପାଣି ମଡାଇଥିଲେ ।
ଡି.ପ୍ରକାଶ ରାଓ : ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରିକରି ଚର୍ଚ୍ଚାରେ ରହିଥିବା କଟକ ସହରର ବିଶିଷ୍ଟ ସମାଜସେବୀ । ୨୧୮ ଥର ରକ୍ତଦାନ କରିି ରେକର୍ଡ ସୃଷ୍ଟି କରିଛନ୍ତି ଡି. ପ୍ରକାଶ ରାଓ । ବକ୍ସିବଜାର ପେନ୍ସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ହେଉଛନ୍ତି ବଡ । ବକ୍ସିବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ । ୧୯ ବର୍ଷ ପୂର୍ବେ ସେ ଆଶା ଓ ଆଶ୍ୱାସନା ନାମରେ ସ୍କୁଲକରି ବସ୍ତିପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ । ପୂର୍ବରୁ ଶ୍ରୀରାଓ ଇଣ୍ଟରନ୍ୟାସନାଲ ହୁ୍ୟମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଛନ୍ତି ।

ସେଆର କରନ୍ତୁ:



Powered by odothemes.com