NAVEEN111

ଏକାକୀ ଲଢ଼ିବୁ

43

ଭୁବନେଶ୍ୱର, ୧୦ା୧(ବୁ୍ୟରୋ): ସାଧାରଣ ନିର୍ବାଚନ (୨୦୧୯)ରେ ବିଜେଡି ଏକାକୀ ଲଢ଼ିବ । ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିବା ନୀତିରେ ଦଳ କାଏମ୍ ରହିଛି । ଏହା ହେଉଛି ଆମର ନୀତି । ଆମେ କ୍ରମାଗତ ଭାବେ ଉଭୟ ଭାରତୀୟ ଜନତା ପାର୍ଟି (ବିଜେପି) ଓ ମହାଗଠ୍ବନ୍ଧନରୁ ସମଦୂରତ୍ୱ ବଜାୟ ରଖିବୁ । ଏହା ହେଉଛି ଆମର ଦୃଢ଼ ନିଷ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ‘ମାଇଣ୍ଡ୍ ରକ୍’ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି । ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ରାଜ୍ୟର ମହିଳା ସଶକ୍ତିକରଣର ଉଦାହରଣ ଦେଇ କେନ୍ଦ୍ରାପଡ଼ା, ମାଲକାନଗିରି ଓ ସୁନ୍ଦରଗଡ଼ର ଘଟଣାର ଅବତାରଣା କରିଛନ୍ତି । ସେ କହିଛନ୍ତି ଯେ ଏହି ତିନୋଟି ଘଟଣାରୁ ସ୍ପଷ୍ଟ ଯେ ଆମ ରାଜ୍ୟର ମହିଳାମାନେ ସାହସୀ, ସମ୍ବେଦନଶୀଳ, ମାନବିକତା, ସେବା, ଅଧିକାର ଓ ନେତୃତ୍ୱ ନେବାର ଦକ୍ଷତା ରଖିଛନ୍ତି ।
‘ମାଇଣ୍ଡ୍ ରକ୍’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଦର୍ଶକ ଓ ସଭା ପରିଚାଳକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ୨୦୧୯ ସାଧାରଣ ନିର୍ବାଚନରେ ତୈଳଦର ବୃଦ୍ଧି, ଚାଷୀମାନଙ୍କର ସମସ୍ୟା ଓ ବେକାରୀ ମୁଖ୍ୟ ପ୍ରସଙ୍ଗ ହେବ । ଚାଷୀଋଣ ଛାଡ଼ ପ୍ରସଙ୍ଗ ନେଇ ସମଗ୍ର ଦେଶରେ ଏକ ବାତାବରଣ ସୃଷ୍ଟି ହୋଇଥିଲାବେଳେ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିବା କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ସହାୟତା (କାଳିଆ) ଯୋଜନା ସଂପର୍କରେ ମତ ରଖିଛନ୍ତି । ସେ କହିଛନ୍ତି ଯେ ଏହି ଯୋଜନାରେ ରାଜ୍ୟର ୯୦% ଚାଷୀ ଉପକୃତ ହେବେ ଏବଂ ୩ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଯୋଜନା କରାଯାଇଛି । ସେହିଭଳି ଯୁବ ଭୋଟରଙ୍କ ପ୍ରତି ସନେ୍ଦଶ ନେଇ ଦର୍ଶକଙ୍କ ପକ୍ଷରୁ ଆସିଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ସମସ୍ତ ପ୍ରାଥମିକତାକୁ ଆମେ ଗୁରୁତ୍ୱ ଦେଇଛୁ । ପ୍ରଥମ କରି ଭୋଟ୍ ଦେଉଥିବା ଯୁବ ଭୋଟରମାନଙ୍କୁ ପରାମର୍ଶ ଦେଇ ନବୀନ କହିଛନ୍ତି ଯେ ପ୍ରଥମେ ନିଜ ପ୍ରାଥମିକତାକୁ ଗୁରୁତ୍ୱ ଦିଅ । ମୋର ବାର୍ତ୍ତା ହେଉଛି, ସମସ୍ତ ପ୍ରାଥମିକତାକୁ ସତର୍କତାର ସହ ଅନୁଧ୍ୟାନ କର ଏବଂ ରାଜନୈତିକ ଇସ୍ତାହାରଗୁଡ଼ିକ ଦେଖ । ଯାହା ଇସ୍ତାହାର ବିଶ୍ୱାସଯୋଗ୍ୟ, ସେମାନଙ୍କୁ ନିଜର ମୂଲ୍ୟବାନ ଭୋଟ ଦିଅ । ତେବେ ଯୁବକମାନେ ପ୍ରଥମେ ସେମାନଙ୍କ ଦାୟିତ୍ୱ ପ୍ରତି ଗୁରୁତ୍ୱର ସହ ଚିନ୍ତା କରିବା ଆବଶ୍ୟକ ଏବଂ ତାହା ଉପରେ ଧ୍ୟାନ ଦେଇ କାର୍ଯ୍ୟ କରନ୍ତୁ । ପଞ୍ଚମ ଥର ପାଇଁ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଆମେ ନିୟମିତ ଭାବେ ଆମର ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ସମୀକ୍ଷା କରୁଛୁ ଏବଂ ଯେଉଁ ପ୍ରତିଶ୍ରୁତି ଦେଇଛୁ ତାହାକୁ ପୂରଣ କରିଛୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
‘ମାଇଣ୍ଡ ରକ୍’ କାର୍ଯ୍ୟକ୍ରମର ଉଦ୍ଘାଟନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସପ୍ତାହେ ତଳେ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ଝିଅ ପୂର୍ଣ୍ଣିମା ଓ ସବିତା ସେମାନଙ୍କ ଜୀବନକୁ ବାଜି ଲଗାଇ, କୁମ୍ଭୀରକୁ ଭୟ ନକରି ଅନ୍ଧାର ରାତିରେ ମହାନଦୀରେ ବୁଡ଼ିଯାଇଥିବା ଡଙ୍ଗାରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ସେହିଭଳି ଗତବର୍ଷ ଜୁନ୍ରେ ମାଲକାନଗିରି ଜିଲ୍ଲାର ମମତା ପାଢ଼ିଆମୀ ତାଙ୍କୁ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ଚିକିତ୍ସା ଲାଗି ୭ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ମହିଳା ଉଦ୍ୟୋଗୀ ଜୟନ୍ତୀ ଇକ୍କା ମିଶନ୍ ଶକ୍ତି ଜରିଆରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି । ତାଙ୍କର ନେତୃତ୍ୱ ନେବାର ଦକ୍ଷତାକୁ ନଭେମ୍ବରରେ ହୋଇଥିବା ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ସମସ୍ତେ ପସନ୍ଦ କରିଛନ୍ତି । ସେ ଏହି ଅଞ୍ଚଳର ଶତାଧିକ ମହିଳାଙ୍କୁ ସଶକ୍ତ କରିଛନ୍ତି । ଏହି ତିନୋଟି ଘଟଣାରୁ ମହିଳା ସଶକ୍ତିକରଣ ଜାଜ୍ୱଲ୍ୟମାନ ହେଉଛି । ଯୁବକ ଓ ମହିଳାମାନେ ରାଜ୍ୟର ସେବା କରିବା ପାଇଁ ଆଗ୍ରହୀ ଅଛନ୍ତି । ଓଡ଼ିଶାର ଯୁବକମାନଙ୍କୁ ଆମେ ସୁଦକ୍ଷ କରିବା ଲାଗି ଉଦ୍ୟମ ଆରମ୍ଭ କରିଛୁ । କ୍ରୀଡ଼ା ଓ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ସଶକ୍ତ କରାଯାଉଛି । ଓଡ଼ିଶା ଜନସଂଖ୍ୟାର ୪୦% ହେଉଛନ୍ତି ୧୫ରୁ ୨୫ ବର୍ଷର । ଜାତୀୟସ୍ତରରେ ପ୍ରାୟ ୨୫ ବର୍ଷୀୟ ଯୁବକ ହେଉଛନ୍ତି ଜନସଂଖ୍ୟାର ଅଧା । ଯୁବକମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ । ଆମ ଯୁବକମାନଙ୍କର ଦକ୍ଷତା ରହିଛି । ସେମାନେ କେଉଁ କ୍ଷେତ୍ରରେ କାର୍ଯ୍ୟ କରିବେ, ତାହା ତାଙ୍କ ଉପରେ ଛାଡ଼ି ଦିଆଯାଇଛି । ଜୀବନରେ ଯାହା କରନ୍ତୁ ସେମାନେ ନିଜର ପରିଚୟ ସୃଷ୍ଟି କରିବା ସହ ମାନବିକତାର ମୂଲ୍ୟବୋଧକୁ ପ୍ରତିଫଳିତ କରନ୍ତୁ; ଯାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ । ସମାଜର ପରିବର୍ତ୍ତନ ପାଇଁ ସେମାନେ ପ୍ରତିବଦ୍ଧ ହୁଅନ୍ତୁ । ସମାଜର ସେବା କରିବା ଲାଗି ଆମେ ଜନ୍ମ ନେଇଛେ । ଏହି ସୁନ୍ଦର ବିଶ୍ୱକୁ ଆହୁରି ସୁନ୍ଦର କରିବା ଲାଗି ସମସ୍ତେ ଚେଷ୍ଟିତ ହେବା ସହ ବଞ୍ଚôବା ପାଇଁ ଏକ ଭଲ ସ୍ଥାନ ନିରୂପଣ କରିବା ଆମମାନଙ୍କର ଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com