photo--3

ଉଦ୍ଘାଟନକୁ ମାସେ ପୂରିନି, କଂକ୍ରିଟ୍ ଉଠିଲାଣି

4

କଲଣ-କୁସ୍ତିରା ସେତୁ ନିମ୍ନମାନର
ଗଡ଼ମଧୁପୁର(ଆପ୍ର): ଯାଜପୁର ଜିଲ୍ଲା ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥରୁ ଧର୍ମଶାଳା ଓ ରସୁଲପୁର-କୁଆଖିଆକୁ ସିଧା ସଳଖ ଯୋଗାଯୋଗ ପାଇଁ ବ୍ରାହ୍ମଣୀ ନଦୀରେ ନିର୍ମାଣ ହୋଇଥିବା କଲଣ-କୁସ୍ତିରା ସେତୁର ଅନକେ ସ୍ଥାନରେ କଂକ୍ରିଟ୍ ଉଠିବାକୁ ଲାଗିଲାଣି । ନିର୍ମାଣର ମାସେ ନପୂରୁଣୁ ସେତୁର ଏପରି ଅବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧିଲାଣି ।
୪୪କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ଏହି ଏକ କିମି ଦୈର୍ଘ୍ୟ ବିଶିଷ୍ଟ ପୋଲଟି ଗତମାସ ଫେବ୍ରୁୟାରୀ ୧୯ରେ ଉଦ୍ଘାଟନ ହୋଇଛି । ତେବେ ପୋଲ ଉପରେ ଗାଡିମୋଟର ଯାତାୟାତ କଲାପରେ ପୋଲର କେତେକ ଅଂଶରୁ କଂକ୍ରିଟ୍ ଉଠି ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । ପୋଲକାମ ଅତ୍ୟନ୍ତ ନିମ୍ନ ମାନର କରାଯାଇଥିବା ଏଥିରୁ ସ୍ପଷ୍ଟ ହେଉଥିବା ବେଳେ ସ୍ଥାୟୀତ୍ୱକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ତେବେ ନବନିର୍ମିତ ଏହି ସେତୁର କଂକ୍ରିଟ କାହିିଁକି ଉଠିଲା ଏବଂ ଏଥିପାଇଁ ଦାୟୀ କିଏ ତାକୁ ନେଇ ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ବିରଜା କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥା ଏହାର ନିର୍ମାଣ କରିଥିବା ଜଣାଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ଏହି ସେତୁର କାମ ଶେଷ ନହୋଇ ଅହେତୁକ ବିଳମ୍ବ ହୋଇଥିବା ଜଣାପଡ଼ିଛି ।
୨୦୧୪ରେ ଆରମ୍ଭ ହୋଇଥିବା ସେତୁର ନିର୍ମାଣ କାମ ୨୦୧୬ରେ ସରିବାକୁ କର୍ଯ୍ୟାଦେଶ ଥିଲେ ମଧ୍ୟ ବିଭାଗୀୟ ଅବହେଳା ଓ ଠିକାଦାରଙ୍କ ମନମୁଖି କାର୍ଯ୍ୟପାଇଁ ପାଖାପାଖି ଦୁଇ ବର୍ଷ ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି । ଅନ ଲାଇନ ମାଧ୍ୟମରେ ପୋଲ ଉଦଘାଟନ କରାଯାଇଥିବାରୁ ପୋଲର ବାସ୍ତବ ସ୍ଥିତି କ’ଣ ତାହା ମୁଖ୍ୟମନ୍ତ୍ରୀଙ୍କୁ ଅଗୋଚର ହୋଇ ରହିଯାଇଛି । ଭାଙ୍ଗିଯାଇଥିବା ଅଂଶରେ ଏବେ କଂମ୍ପ୍ରେସର୍ ବ୍ୟବହାର କରି ଭଙ୍ଗା ଅଂଶକୁ ମରାମତି କରାଯାଉଥିବା ଦେଖିବାକୁ ମିଳିଛି । ଏ ସମ୍ବନ୍ଧରେ ନିର୍ବାହି ଯନ୍ତ୍ରୀକୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇନାହିଁ ।

ସେଆର କରନ୍ତୁ:



Powered by odothemes.com