Inida-Book-of-Records-(8)

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ବଳଦେବଜିଉଙ୍କ ନନ୍ଦିଘୋଷ

8

କେନ୍ଦୁଝର (ଆପ୍ର): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥ ସର୍ବୋଚ୍ଚ ରଥ ଭାବେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ରବିବାର ଦିନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଯାଞ୍ଚ ଅଧିକାରୀ ରାକେଶ କୁମାର ବର୍ମା କେନ୍ଦୁଝରକୁ ଆସି ରଥର ଉଚ୍ଚତା ମାପି ଏହା ଘୋଷଣା କରିଛନ୍ତି । କେନ୍ଦୁଝର ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବର୍ାହୀ ଅଧିକାରୀ ଡ଼ଃ ସୋମନାଥ ପ୍ରଧାନଙ୍କୁ ଏନେଇ ପ୍ରମାଣପତ୍ର ଓ ମେଡାଲ ପ୍ରଦାନ କରିଛନ୍ତି । ପୂର୍ବରୁ ୪ ଟି ସଂସ୍ଥା ଏହାକୁ ସର୍ବୋଚ୍ଚ ରଥ ଭାବେ ପ୍ରମାଣପତ୍ର ପ୍ରଦାନ କରି ସାରିଛନ୍ତି । ଆଉ ଏକ ସଂସ୍ଥା ଏଭଳି ପ୍ରମାଣପତ୍ର ଦେବା ପରେ ଏହା ଗିନିଜ୍ ବୁକ୍ ଅଫ୍ ରେକର୍ଡ ପାଇଁ ଯୋଗ୍ୟ ହୋଇପାରିବ ବୋଲି ମତବ୍ୟକ୍ତ ହୋଇଛି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଦେବୋତ୍ତର ବିଭାଗ ପକ୍ଷରୁ ରାଷ୍ଟ୍ରଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠାରୁ ବଡ ରଥ ବୋଲି ବାରମ୍ବାର ବିଭିନ୍ନ ଫୋରମରେ ଦାବି ହୋଇ ଆସୁଥିଲା । ଯାହାକୁ ନେଇ ଗତ ଡିସେମ୍ବର ୨୫ରେ ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନର ଭାରତ ମୁଖ୍ୟ ମନମୋହନ ରାୱତ କେନ୍ଦୁଝରରେ ପହଞ୍ଚି ସତ୍ୟାସତ୍ୟା ଯାଞ୍ଚ କରିଥିଲେ । ଯାଞ୍ଚ ପରେ ସମସ୍ତ ଦସ୍ତାବିଜ ସାଙ୍ଗରେ ନେଇ ତାଙ୍କର ଅନୁଧ୍ୟାନକାରୀ ଦଳକୁ ଦେବେ ବୋଲି କହିଥିଲେ । ଅନୁଧ୍ୟାନକାରୀ ଦଳ ସବୁଦିଗକୁ ଯାଞ୍ଚ କରିବା ପରେ ଏହି ରଥ ବିଶ୍ୱର ସବୁଠାରୁ ବଡ ରଥ ବୋଲି ପ୍ରମାଣିତ ହୋଇଛି । ଯାହା ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାର ବାଟକୁ ପରିଷ୍କାର କରିଛି । ପୂର୍ବରୁ ଏହି ରଥ ଭାରତର ଜାତୀୟ ରେକର୍ଡ, ଜିଆର୍ଆର୍ଏଫ୍ ରେକର୍ଡ, ଏସିଆ ପାଶିଫିକ ରେକର୍ଡ ଏବଂ ୱାଣ୍ଡର ବୁକ୍ ଅଫ୍ ରେକର୍ଡସ ପ୍ରମାଣପତ୍ର ହାସଲ କରିସାରିଛି । ବର୍ତ୍ତମାନ ଏହି ରଥ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ଏହାପରେ ଗିନିଜ୍ ବୁକ୍ ଅଫ୍ ରେକର୍ଡ ନିମନ୍ତେ ଅର୍ଥ ଜମା କରି ତାଙ୍କର ସମସ୍ତ ବିଧିବିଧାନକୁ ପୂରଣ କରିବା ପରେ ଏହି ରଥ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇବ ବୋଲି ଉପଜିଲ୍ଲାପାଳ ଡ଼ଃ ସୋମନାଥ ପ୍ରଧାନ ସୂଚନା ଦେଇଛନ୍ତି । ଏହି ରେକର୍ଡ ପ୍ରଦାନ ସମୟରେ କେନ୍ଦୁଝର ଯୁବରାଜ ଧନଞ୍ଜୟ ନାରାୟଣ ଭଞ୍ଜଦେଓ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଚିତ୍ତରଞ୍ଜନ ଦାଶ,ଦେବୋତ୍ତର ବିଭାଗର ଆକାଉଣ୍ଟାଣ୍ଟ ରାଜକିଶୋର ପଣ୍ଡା, ଦେବୋତ୍ତର କର୍ମଚାରୀ ଦ୍ୱାରିକା ପ୍ରସାଦ ରଥ, ମନ୍ଦିର ସୁପରଭାଇଜର ପଞ୍ଚାନନ ସାହୁ, ରାଜପୁରୋହିତ ପ୍ରସନ୍ନ କୁମାର ନନ୍ଦ, ବିଶିଷ୍ଟ ସଂଗ୍ରାହକ ସୁଜିତ ପଟ୍ଟନାୟକ, ରଥ ମହାରଣା ନୀଳମଣି ମହାରଣା,ସମାଜସେବୀ ସହଦେବ ଖଣ୍ଡେଇ, ଆଇନଜୀବୀ ନିମାଇଁ ଚରଣ ଦାଶ, ବିିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com