led

‘ଆମ ଘରେ ଏଲ୍ଇଡି’

44

ଭୁବନେଶ୍ୱର, ୧୧ ।୧(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଜରିଆରେ ଆମ ଘରେ ଏଲିଡି ଯୋଜନାର ଶୁଭରାମ୍ଭ କରିଛନ୍ତି । ଏହି ଯୋଜନାରେ ଖାଦ୍ୟ ସୁରକ୍ଷା ଯୋଜନାର ସବୁ ହିତାଧିକାରୀଙ୍କୁ ୪ଟି ଲେଖାଏ ଏଲଇଡି ବଲ୍ବ ମାଗଣାରେ ଯୋଗାଇ ଦିଆଯିବ । ଚଳିତ ମାସ ୧୫ରେ ଆମ ପିଠା କାର୍ଯ୍ୟକ୍ରମ ଅବସରରେ ଏହି ବଲ୍ବ ଯୋଗାଇ ଦିଆଯିବ । ଏହାଦ୍ୱାରା ପ୍ରାୟ ୯୫ ଲକ୍ଷ ହିତାଧିକାରୀ ଉପକାର ପାଇବେ । ଏହାଦ୍ୱାରା ବିଜୁଳି ଖର୍ଚ୍ଚ କମିବା ସହିତ ପିଲାମାନଙ୍କ ପାଠପଢ଼ାରେ ମଧ୍ୟ ସୁବିଧା ହେବ । ଏହି ଯୋଜନା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ଖୁସିରେ ମୋ ଖୁସି’ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାରେ ୭ଟି ବ୍ଲକ ପାଇଁ ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା, ରାୟଗଡା ଜିଲ୍ଲାର ଚନ୍ଦ୍ରପୁର, ବଲାଙ୍ଗୀର ଜିଲ୍ଲା ଗୁଡ୍ଭେଲା ଓ ବଲାଙ୍ଗୀର ସଦର, ଝାରସୁଗୁଡ଼ା ଜିଲ୍ଲାର କିରିମିରା, ମୟୂରଭଞ୍ଜ ଜିଲ୍ଲାର ବାରିପଦା ଓ ମୋରଡା ବ୍ଲକ ଅନ୍ତର୍ଭୁକ୍ତ । ମୁଖ୍ୟମନ୍ତ୍ରୀ ବେଗୁନିଆପଡା ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୫ କୋଟି ଟଙ୍କାର ୧୦୭ଟି ପ୍ରକଳ୍ପ, ଚନ୍ଦ୍ରପୁର ବ୍ଲକର ୭ଟି ପଞ୍ଚାୟତ ପାଇଁ ୨ କୋଟି ଟଙ୍କାରେ ୧୧୬ଟି ପ୍ରକଳ୍ପ, ଗୁଡଭେଲ ବ୍ଲକର ୧୩ଟି ପଞ୍ଚାୟତ ପାଇଁ ୧.୭୦ କୋଟି ଟଙ୍କାରେ ୮୪ ପ୍ରକଳ୍ପ, ବଲାଙ୍ଗୀର ସଦର ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୬.୩୦ କୋଟି ଟଙ୍କାର ୨୪୭ଟି ପ୍ରକଳ୍ପ, କିରିମିରା ବ୍ଲକର ୮ଟି ପଞ୍ଚାୟତ ପାଇଁ ୨ କୋଟି ଟଙ୍କାରେ ୪୭ଟି ପ୍ରକଳ୍ପ, ମୋରଡା ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୨୨୯ଟି ପ୍ରକଳ୍ପ, ବାରିପଦା ବ୍ଲକର ୧୦ଟି ପଞ୍ଚାୟତ ପାଇଁ ୨.୭୫ କୋଟି ଟଙ୍କାରେ ୪୭ଟି ପ୍ରକଳ୍ପ । ଏହିପରିି ସମୁଦାୟ ୭ଟି ବ୍ଲକର ୧୦୬ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୪.୨୫ କୋଟି ଟଙ୍କାରେ ୮୭୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ୨୮୫ଟି ବ୍ଲକର ୬୨୧୧ଟି ଗ୍ରାମପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ୫୭,୧୦୭ଟି ପ୍ରକଳ୍ପ ପାଇଁ ୧୪୨୨.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ୍ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ସାମୂହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।

ସେଆର କରନ୍ତୁ:



Powered by odothemes.com