ଆନ୍ଦୋଳନରୁ ଓହରିଲେ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ

43

ଭୁବନେଶ୍ୱର, ୨୭ା୯(ବୁ୍ୟରୋ): ମାସାଧିକ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ, ପଦଯାତ୍ରା ଜାରି ରଖିଥିବା ବ୍ଲକ୍ ଗ୍ରାଣ୍ଟ ଶିକ୍ଷକମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ଆସନ୍ତାକାଲି ପଦଯାତ୍ରା କରିବାକୁ ସେମାନେ ନେଇଥିବା ନିଷ୍ପତ୍ତିରୁ ମଧ୍ୟ ଓହରିଛନ୍ତି । ଆସନ୍ତାକାଲିଠାରୁ ସେମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି । ଶିକ୍ଷକ ପ୍ରତିନିଧିମାନେ ଆଜି ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସେମାନଙ୍କ ଦାବି ପୂରଣ ଦିଗରେ ସରକାର ସକ୍ରିୟ ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ, ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବ୍ଲକ୍ ଗ୍ରାଣ୍ଟ୍କୁ ବିରୋଧ କରି ପୁରୁଣା ଅନୁଦାନ ନୀତିରେ ଶିକ୍ଷକ ଓ କର୍ମଚାରୀମାନେ ଦରମା ଓ ଭତ୍ତା ଦାବିରେ ଅଗଷ୍ଟ ୧୮ରୁ ଆନ୍ଦୋଳନ ଜାରି ରଖିଥିଲେ । ୨,୨୦୯ଟି ବ୍ଲକ୍ ଗ୍ରାଣ୍ଟ ସ୍କୁଲ୍ର ୨୭ ହଜାରରୁ ଊଦ୍ଧ୍ୱର୍ ଶିକ୍ଷକ ଓ କର୍ମଚାରୀ ସ୍କୁଲ୍ ବନ୍ଦ କରି ରାଜଧାନୀରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଥିଲେ । ଗତ ୨୪ ତାରିଖରେ ଆନ୍ଦୋଳନରତ ଶିକ୍ଷକ ସଂଘର ପ୍ରତିନିଧିମାନେ ଆନ୍ତଃ ମନ୍ତ୍ରାଳୟ କମିଟି ସହ ଆଲୋଚନା କରିବା ପରେ ଗୋଟିଏ ଗୋଷ୍ଠୀ ଆନ୍ଦୋଳନ ପ୍ରତ୍ୟାହାର ହେଲା ବୋଲି ଘୋଷଣା କରିଥିଲେ । ତେବେ ଆନ୍ତଃମନ୍ତ୍ରାଳୟ କମିଟି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ ଅନ୍ୟ ଏକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଥିଲେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ ଓ କର୍ମଚାରୀମାନେ ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ପଦଯାତ୍ରା କରିବେ ବୋଲି କହିଥିଲେ ।

ସେଆର କରନ୍ତୁ:



Powered by odothemes.com