ଆଉ ନାହାନ୍ତି ଗିରିଜା ଭୂଷଣ ପଟ୍ଟନାୟକ

91

କଟକ/ଭୁବନେଶ୍ୱର(ବୁ୍ୟରୋ): ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ, ସମାଜସେବୀ ତଥା ‘ଦି ୟୁନିଭର୍ସ’ ପ୍ରତିଷ୍ଠାତା ସମ୍ପାଦକ ଗିରିଜା ଭୂଷଣ ପଟ୍ଟନାୟକଙ୍କ ରବିବାର ଭୋର ୪ଟା ୩୦ ମିନିଟ୍ରେ ରାଷ୍ଟ୍ରଭାଷା ବାସଭବନରେ ପରଲୋକ ହୋଇଯାଇଛି । ମୁତୁ୍ୟ ବେଳକୁ ତାଙ୍କୁ ୮୪ ବୟସ ହୋଇଥିଲା । ଗିରିଜାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଲିଯାଇଛି । ସ୍ୱର୍ଗତ ପଟ୍ଟନାୟକ ମର ଶରୀରକୁ ‘ଦି ୟୁନିଭର୍ସ’ ପରିସରରେ ରଖାଯାଇଥିଲା । ସେ ଦୀର୍ଘ ୧୦ ବର୍ଷରୁ ଊଦ୍ଧ୍ୱର୍ ପାରାଲିସିସ୍ ରୋଗରେ ଆକ୍ରାନ୍ତ ଥିଲେ । ଆସନ୍ତାକାଲି ସକାଳ ୮ଟାରେ ତାଙ୍କ ଶରୀରକୁ ଏଠାରୁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନିଆଯିବ । ଏହାପରେ ଖାନନଗର ଇଲେକ୍ଟି୍ରକ ଚୂଲାରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ । ଅନ୍ତିମ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଶ୍ୱଭୂଷଣ ଦାସ, ସେକ ଅବଦୁଲ୍ଲା, ଖଗେଶ୍ୱର ସେଠୀ, ସତ୍ୟକାମ ମିଶ୍ର, ଜେ ପି ଦାସ, ବିଧାୟକ ଶଶୀଭୂଷଣ ବେହେରା, ମହମ୍ମଦ ସକିଲ, ଖାରବେଳ ମହାନ୍ତି, ବିଷ୍ଣୁ ଜେନା, ଗୋବିନ୍ଦ ଚାନ୍ଦ, ଗୋବିନ୍ଦ ସେନାପତି, ଅନ୍ନଦା ପ୍ରସାଦ ରାୟ, ମେଜର ଜେନେରାଲ ବିକେ ମହାପାତ୍ର, ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିଥିଲେ ।  ସ୍ୱର୍ଗତ ପଟ୍ଟନାୟକ ୧୯୩୧ ମସିହା ଫେବ୍ରୁଆରୀ ୯ ତାରିଖରେ ଅନୁଗୁଳୁରେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍ସାରେ ପାଠ ପଢିବା ସମୟରେ ସାମ୍ୟବାଦୀ ଦର୍ଶନ ପ୍ରତି ଅକୃଷ୍ଟ ହୋଇ ସର୍ବଭାରତୀୟ ଛାତ୍ର ସଂଘରେ ଯୋଗ ଦେଇଥିଲେ । ରେଭେନ୍ସା କଲେଜ ଛାତ୍ର ସଂଘର ସଭାପତି ଥିବା ବେଳେ ତାଙ୍କ ନିମନ୍ତ୍ରଣରେ ଭାରତର ତତ୍କାଳନୀ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ରେଭେନ୍ସାକୁ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ସାହିତି୍ୟକ ମନୋଜ ଦାସଙ୍କ ବନ୍ଧୁ ଭାବରେ ଗିରିଜାଭୂଷଣ ପଟ୍ଟନାୟକ କମୁ୍ୟନିଜିମ୍ ଚିନ୍ତାଧାରାରେ ପ୍ରଭାବିତ ହୋଇ ଛାତ୍ରାବସ୍ଥାରୁ ବିଭିନ୍ନ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ୧୯୪୨ ମସିହାରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୫୮ ମସିହାରେ ତାଙ୍କର ଓକିଲାତି ଜୀବନ ଆରମ୍ଭ ହୋଇଥିଲା । ‘ଦି ୟୁନିଭର୍ସ’ ପରି ଅନୁଷ୍ଠାନ ଗଢ଼ି ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହିତ ଦେଶ ବିଦେଶ ଭ୍ରମଣ କରି ଅନେକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ସ୍ୱର୍ଗତ ପଟ୍ଟନାୟକ ‘ବୁଦ୍ଧିଜିମ୍ ଆଣ୍ଡ୍ ବୈନଜିମ୍’, ‘ଫୋକ୍ କଲଚର୍’, ‘ଏନଭାର୍ଣ୍ଣମେଣ୍ଟ୍ ଆଣ୍ଡ୍ ଟ୍ୱେଣ୍ଟିଫାଷ୍ଟ୍ ସେଞ୍ଚୁରୀ’, ‘ଗାନ୍ଧି ଆଣ୍ଡ୍ ମଡର୍ଣ୍ଣ ଟାଇମ୍’, ‘ରାଜନୀତିର ଭାରତ’, ‘ଜୀବନ ଜନପଥରେ’, ‘ଜୀବନର ବାଟେଘାଟେ’, ‘ବାଉନ ବଜାର ତେପନ ଗଳି’, ‘ଜୀବନ ସ୍ମୃତିରୁ ଖିଏ’ ଭଳି ପ୍ରାୟ ୩୦ରୁ ଅଧିକ ଉପାଦେୟ ପୁସ୍ତକ ରଚନା କରିଛନ୍ତି । ‘ଜୀବନର ବାଟେ ଘାଟେ’ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଅଖଣ୍ଡ ଆତ୍ମ ଜୀବନୀ ତାଙ୍କ ଶେଷ ପରିକଳ୍ପନାରେ ରହିଯାଇଥିଲା । ୧୯୭୩ ମସିହାରେ ତାଙ୍କ ପ୍ରଚେଷ୍ଟାରେ ‘ଦି ୟୁନିଭର୍ସ’ ଆରମ୍ଭ ହୋଇଥିଲା । ୧୯୯୯ ମସିହାରେ ବାତ୍ୟା ବିପନ୍ନଙ୍କ ପାଇଁ ଇସ୍ରାଇଲରୁ ଆସିଥିବା କମ୍ବଳକୁ ନିଆଳିକୁ ଯାଇ ବଣ୍ଟନ କରୁଥିବା ସମୟରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା, ସେବେ ଠାରୁ ତାଙ୍କ ଦେହ ଖରାପ ଆରମ୍ଭ ହୋଇଯାଇଥିଲା । ବ୍ରେନ ଷ୍ଟ୍ରୋକ ପରେ ତାଙ୍କୁ ପାରାଲିସିସ୍ ରୋଗ ଆକ୍ରାନ୍ତ କରିଥିଲା । ତାଙ୍କ ବଡ ଝିଅ ପ୍ରଜ୍ଞା ଇତି ମିଶ୍ର କୁହନ୍ତି, ବାପା ଆମ ଠାରୁ ଚାଲି ଯାଇଛନ୍ତି ବୋଲି ଆମେ ବିଶ୍ୱାସ କରୁ ନାହୁଁ । ସେ ନିଃସ୍ୱ ଗରିବ ଲୋକଙ୍କ ଦୁଃଖ ସହିପାରୁ ନଥିଲେ । ପରୋପକାରରେ ତାଙ୍କ ଜୀବନ ଅତିବାହିତ କରି ଦେଇଛନ୍ତି ବୋଲି ଅଶ୍ରୁ ଝରଝର ଆଖିରେ କହିଥିଲେ । ତାଙ୍କ ଶେଷ ଇଚ୍ଛା ଥିଲା ତାଙ୍କ ମର ଶରୀରକୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ନିଆଯାଉ । ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଆସନ୍ତାକାଲି ତାଙ୍କ ମର ଶରୀରକୁ ରେଭେନ୍ସା ବିଦ୍ୟାଳୟକୁ ନଆଯିବ ବୋଲି ବଡ ଝିଅ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com