asta1

ଅଷ୍ଟଧାତୁ ମୂର୍ତ୍ତି ଜବତ

10

ଭୁବନେଶ୍ୱର, ୧୩ ।୨ (ବୁ୍ୟରୋ): କ୍ରାଇମ୍ବ୍ରାଞ୍ଚ୍ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଯଦୁପର ଗାଁରେ ମଙ୍ଗଳବାର ରାତିରେ ଚଢ଼ାଉ କରି ଦୁଇଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି । ଜବତ ମୂର୍ତ୍ତିଦ୍ୱୟର ବଜାର ମୂଲ୍ୟ ଅଢ଼େଇ କୋଟି ହେବ ବୋଲି ଏସ୍ଟିଏଫ୍ କହିଛି । ସେଥିମଧ୍ୟରୁ ଗୋଟିଏ ମୂର୍ତ୍ତିର ଓଜନ ୧୮ କେଜି ୪୪୦ ଗ୍ରାମ ରହିଥିବା ବେଳେ ଅନ୍ୟଟିର ଓଜନ ୧୨ କେଜି ୬୦ ଗ୍ରାମ ବୋଲି ଟିମ୍ ସୂଚନା ଦେଇଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସୟଦ ଜିଲ୍ନୋର୍ ଓରଫ କଟା ଓରଫ ରାଜା (୪୬) । ତେବେ ଉଦ୍ଧାର ବିରଳ ମୂର୍ତ୍ତିକୁ ସେ କେଉଁ ଠାରେ ବିକ୍ରି କରିଥାନ୍ତା, ଅଷ୍ଟଧାତୁ ମୂର୍ତ୍ତି କିଣାବିକାରେ ଆଉ କାହା ହାତ ରହିଛି ସେ ସଂକ୍ରାନ୍ତରେ ଏସ୍ଟିଏଫ୍ ତଦନ୍ତ ଚଳାଇଛି । ଗିରଫ ରାଜାର ଆନ୍ତଃରାଜ୍ୟ ର୍ୟାକେଟ୍ ସହିତ ଲିଙ୍କ୍ ରହିଥିବା ତଦନ୍ତକାରୀ ଟିମ୍ ସନେ୍ଦହ କରିଛି । ଅନ୍ୟପଟେ ଉକ୍ତ ମୂର୍ତ୍ତିକୁ ସେ କେଉଁ ଠାରୁ ଚୋରି କରିଥିଲା ରାଜା ମୁହଁ ଖୋଲିନାହିଁ । ବିଭିନ୍ନ ଦିଗକୁ ନେଇ ଏସ୍ଟିଏଫ୍ ଖୋଳତାଡ ଜାରି ରଖିଛି । ଏସ୍ଟିଏଫ୍ ସୂତ୍ରରୁ ପ୍ରକାଶ, ଗିରଫ ରାଜାର ଘର ଯଦୁପୁର ଗାଁରେ । ସେ ପରିବାର ସହିତ ଗାଁରେ ରହୁଥିଲା । ହେଲେ ରାଜାର ଆନ୍ତଃରାଜ୍ୟ ର୍ୟାକେଟ୍ ସହିତ ଲିଙ୍କ୍ ଥିବା କ୍ରାଇମ୍ବ୍ରାଞ୍ଚ୍ ଜାଣିବାକୁ ପାଇଥିଲା । ତା’ ଘରେ ଦୁଇଟି ବିରଳ ମୂର୍ତ୍ତି ଥିବା ଏସ୍ଟିଏଫ୍ ଡିଏସ୍ପି ପ୍ରିୟ ରଞ୍ଜନ ଶତପଥୀ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଏହି ସୂତ୍ରକୁ ଆଧାର କରି ଶ୍ରୀ ଶତପଥୀ ଓ ତାଙ୍କ ଟିମ୍ ମଙ୍ଗଳବାର ରାତିରେ ରାଜା ଘର ଉପରେ ଚଢ଼ାଉ କରିଥିଲେ । ଉପରୋକ୍ତ ଦୁଇ ଅଷ୍ଟଧାତୁ ମୂର୍ତ୍ତି ତା’ ଘରୁ ଜବତ କରିଥିଲେ । ଏଥିସହ ଟିମ୍ ରାଜାକୁ ମଧ୍ୟ ଗିରଫ କରିଥିଲା । ଏସ୍ଟିଏଫ୍ ନିଜ ହେପାଜତକୁ ନେଇ ରାଜାକୁ ଜେରା କରିଥିଲା । ହେଲେ ସେ ମୁହଁ ଖୋଲିନଥିଲା । ଶେଷରେ ଏସ୍ଟିଏଫ୍ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରିଛି । ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଏସ୍ଟିଏଫ୍ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ଅନ୍ୟପଟେ ରାଜା ଗ୍ୟାଙ୍ଗ୍ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତକୁ ଧରିବା ଲାଗି ଏସ୍ଟିଏଫ୍ ତଦନ୍ତ ଜାରି ରଖିଛି ।

ସେଆର କରନ୍ତୁ:



Powered by odothemes.com