Badasahi-HARIPUR-GADA-(1)

ଅବହେଳାରେ ଶିକାର ରାଜାଗଡ଼ ଓ ବୈଦ୍ୟନାଥ ପୀଠ

67

ବଡ଼ସାହି (ଆପ୍ର) : ମୟୂରଭଞ୍ଜ ଇତିହାସ ସହ ଯୋଡ଼ି ହୋଇ ରହିଥିବା ଦୁଇଟି ଐତିହାସିକ ପୀଠ ଅବହେଳାର ଶିକାର ହୋଇଆସୁଛି । ନା ଏଥିପ୍ରତି ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଉଛି ନା ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏହି ସ୍ଥାନ ଦ୍ୱୟର ଉନ୍ନତି ଲାଗି ଉନ୍ନତି କରୁଛନ୍ତି । ବଡ଼ସାହି ବ୍ଲକ ଅଧୀନରେ ରହିଛି ଦୁଇ ଐତିହାସିକ ସ୍ଥଳ-ହରିପୁର ରାଜାଗଡ଼ ଏବଂ ବାବା କଖାରୁଆ ବୈଦ୍ୟନାଥ ଶୈବପୀଠ । ଏହି ଦୁଇ ସ୍ଥଳ ବିଭିନ୍ନ ସ୍ତରରେ ମାନ୍ୟତା ଲାଭ କରିଛି ସତ, ମାତ୍ର ଲୋକଲୋଚନକୁ ଆସିବା ଭଳି ପଦକ୍ଷେପ ନିଆଯାଇନାହିଁ । ସ୍ଥାନ ଦ୍ୱୟକୁ ଲକ୍ଷ୍ୟ କଲେ ଏ କଥା ଜଣେ ସ୍ପଷ୍ଟ ଭାବେ ବୁଝିପାରିବ । ସଦର ବାରିପଦାରୁ ୧୬ କି.ମି ବ୍ୟବଧାନରେ ରହିଥିବା ପ୍ରତାପପୁର ପଞ୍ଚାୟତର ହରିପୁରଗଡ଼ ଦେଖିବାକୁ ଏକଦା ବିଦେଶୀ ପର୍ଯ୍ୟଟକ ଆସୁଥିଲେ । କିନ୍ତୁ ବର୍ତ୍ତମାନ ଗଡ଼ଟିର ପୁନରୁଦ୍ଧାର କାର୍ଯ୍ୟ ପ୍ରତି ଦୃଷ୍ଟି ଦିଆଯାଉନାହିଁ । ଗଡ଼ର ପରିବେଶ ସମ୍ପୂର୍ଣ୍ଣ ଭାବେ ବିଗିଡ଼ିବାରେ ଲାଗିଛି । ଖାଲଖମାରେ ପରିପୂର୍ଣ୍ଣ ରାସ୍ତାଘାଟ ଯୋଗୁଁ ସ୍ଥାନୀୟ ଲୋକ ମଧ୍ୟ ଗଡ଼ଠାରୁ ମୁହଁ ବୁଲାଇ ନେଉଛନ୍ତି । ଗଡ଼ ପରିବେଶରେ ଲତାବୁଦା ଭରି ରହିଥିବାରୁ ପରିସର ଭିତରକୁ ଯିବା ପାଇଁ ଲୋକମାନେ ନିରାପଦ ମଣୁନାହାଁନ୍ତି । ୧୪୦୦ ଖ୍ରୀଷ୍ଟାବ୍ଦରେ ତକ୍ରାଳୀନ ମହାରାଜା ହରିହର ଭଞ୍ଜ ମୟୂରଭଞ୍ଜର ରାଜଧାନୀ ଖିଚିଂଠାରୁ ହରିପୁରକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ । ପରବର୍ତ୍ତୀ ସମୟରେ ରାଜା ବୈଦ୍ୟନାଥ ଭଞ୍ଜ ପରିବାରର ଗୁରୁ ରସିକାନନ୍ଦଙ୍କ ସ୍ମୃତି ଉଦେ୍ଦଶ୍ୟରେ ରସିକରାୟ ମନ୍ଦିର ନିର୍ମାଣ କରିଥିଲେ । ଖୁବ୍ ପତଳା ଇଟାରେ ନିର୍ମିତ ଏହି ମନ୍ଦିର ଆଜି ମଧ୍ୟ ଅଦ୍ୱିତୀୟ ଭାବେ ବିଦ୍ୟମାନ । ଏଠାକାର ଅନ୍ୟତମ ଆକର୍ଷଣୀୟ ସ୍ଥାନ ହେଲା ନିକଟରେ ଥିବା ରାଧାମୋହନ ମନ୍ଦିର, ଗୌଡ଼ୀୟ ଶୈଳୀରେ ନିର୍ମିତ ଜଗନ୍ନାଥ ମନ୍ଦିର ଓ ଗଡ଼ର ଭଗ୍ନାବଶେଷ । କିଛି ବର୍ଷ ପୂର୍ବେ ଆର୍କୋଲୋଜିକାଲ ବିଭାଗ ତରଫରୁ ମାଟିରେ ପୋତି ହୋଇଥିବା ଗଡ଼ର କିଞ୍ଚିତ ପୁନରୁଦ୍ଧାର କାର୍ଯ୍ୟରୁ ରାଣୀହଂସପୁରୀ ଗୁମ୍ଫା, ଦରବାର ହଲ, ତେଲୁଗୁ ଗେଟ୍ ଠାବ କରାଯାଇଥିଲା । ଗଡ଼ର ପରିସୀମାକୁ ଧ୍ୟାନ ଦେଇ ମାଟିରେ ଲୀନ ହେବାକୁ ଥିବା ଭଗ୍ନାବଶେଷକୁ ପୁନର୍ବାର ଉଦ୍ଧାର କରାଯିବା ସହ ଗଡ଼ର ବ୍ୟାପକ ପ୍ରଚାର ଓ ପ୍ରସାର କରାଗଲେ ଏହା ଜୀବନ୍ତ ହୋଇପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ସେହିଭଳି ବାରିପଦା ସଦରରୁ ୪୩ କି.ମି ଏବଂ ବାଲେଶ୍ୱରଠାରୁ ୩୩ କି.ମି ଦୂର ମାଣତ୍ରୀରେ ରହିଛି ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ୭୦୦ ବର୍ଷର ପୁରାତନ ବାବା କଖାରୁଆ ବୈଦ୍ୟନାଥ ଶୈବପୀଠ । ଏହି ସ୍ଥାନ ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି । ଶିବରାତ୍ରୀ ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ । ଦୈନିକ ପୂଜାରେ ମଧ୍ୟ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥାଆନ୍ତି । ଏ ସବୁ ସତ୍ତ୍ୱେ ମନ୍ଦିରର ପାରିପାର୍ଶ୍ୱିର୍କ ଉନ୍ନତି ପ୍ରତି ଦୃଷ୍ଟି ଦିଆଯାଉନାହିଁ । ମନ୍ଦିର କମିଟି ତରଫରୁ ମନ୍ଦିର ସଂଲଗ୍ନ କୁଣ୍ଡର ପୁନରୁଦ୍ଧାର ସହ ପଥର ପ୍ୟାକିଂ, ନୌକା ବିହାର, ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ମୁଖ୍ୟରାସ୍ତାର ପ୍ରଶସ୍ତିକରଣ, ମରାମତି, ମାର୍କେଟ କମ୍ପ୍ଲେକ୍ସ ଭଳି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି । ମାତ୍ର ଅଦ୍ୟାବଧି ଏଥିପ୍ରତି କୌଣସି ପଦକ୍ଷେପ ନିଆଯାଇନାହିଁ । ପର୍ଯ୍ୟଟନ ବିଭାଗ ଏବଂ ବିଭିନ୍ନ ରାଜନୈ÷ତିକ ଦଳ ତରଫରୁ ଦୃଷ୍ଟି ଦିଆଗଲେ ଐତିହାସିକ ପୀଠ ଦ୍ୱୟରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧିହୁଅନ୍ତା ବୋଲି ମତପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com