ଅନନ୍ୟ ‘ଅନନ୍ୟା’

55

ଟ୍ରଫି ସହ ପୁରସ୍କାର ରାଶି ୨୦ ଲକ୍ଷ, ୟାମ୍ହା ଆର୍ଏକ୍ସ-୧୦୦ ବାଇକ୍; ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ଭୁବନେଶ୍ୱର, ୬ ।୯(ବୁ୍ୟରୋ): ଅଗଣିତ ଉକ୍ରଣ୍ଠିତ ଓଡିଆଙ୍କ ଆଶା-ଆକାଂକ୍ଷାକୁ ପୂରଣ କରି ଓଡିଆ ମାଟିର ଝିଅ ଅନନ୍ୟା ଶ୍ରୀତମ ନନ୍ଦ ଆଜି ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର-୨’ ବିଜୟୀ ହୋଇଛନ୍ତି । ସର୍ବଭାରତୀୟ ସଙ୍ଗୀତ ପ୍ରତିଯୋଗିତା “ଇଣ୍ଡିଆସ୍ ର’ଷ୍ଟାର୍”ରେ ଓଡିଆ ପୁଅ ଋତୁରାଜ ମହାନ୍ତିଙ୍କ ପରେ ଅନନ୍ୟା ପୁଣି ଗର୍ବିତ କରିଛନ୍ତି ଓଡିଶାକୁ । ଗତବର୍ଷ ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର-୧’ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ମଧ୍ୟ ସେ ଧୈର୍ଯ୍ୟହରା ନହୋଇ ଦୁଇଗୁଣ ଉତ୍ସାହରେ ଆରମ୍ଭରୁ ମାଡିଚାଲିଥିଲେ ଗୋଟିଏ ପରେ ଗୋଟିଏ ପାହଚ । ଦୁଇ ପର୍ଯ୍ୟାୟ ବିଶିଷ୍ଟ ଗ୍ରାଣ୍ଡ ଫାଇନାଲ୍କୁ ଉନ୍ନିତ ହୋଇଥିଲେ ଅନନ୍ୟା, ନିତ୍ୟଶ୍ରୀ ଭେଙ୍କଟରମଣନ୍ (ତାମିଲନାଡୁ), ନାହିଦ ଆଫ୍ରିନ୍ (ଆସାମ) ଓ ଏକମାତ୍ର କିଶୋର କଳାକାର ବୈଷ୍ଣବ ଗିରିଶ (କେରଳ) । ତେବେ ପ୍ରଥମ ରାଉଣ୍ଡରେ ଗିରିଶ ବିଦାୟ ନେବାରୁ ଶେଷ ପର୍ଯ୍ୟାୟକୁ ରହିଥିଲେ ଏହି ତିନିଜଣ କିଶୋରୀ କଳାକାର । ପ୍ରଖ୍ୟାତ ହାସ୍ୟ ଅଭିନେତା କପିଲ୍ ଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲ୍ରେ ବିଚାରକ ଥିଲେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ସଂଗୀତ ନିର୍ଦ୍ଧେଶକ ବିଶାଲ ଦଦଲାନି ପ୍ରମୁଖ । ଶେଷରେ କପିଲ ଶର୍ମା ଘୋଷଣା କରିଥିଲେ ଅନନ୍ୟା ଏବର୍ଷର ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର’ । ଘନଘନ କରତାଳି ଓ ଅଭିନନ୍ଦନ ମଧ୍ୟରେ ବିଶାଲ ଦଦ୍ଲାନି ଅନନ୍ୟାଙ୍କ ହାତରେ ଧରାଇଥିଲେ ବିଜୟ ଟ୍ରଫି । ସୋନି ଏଣ୍ଟରଟେନ୍ମେଣ୍ଟ ପକ୍ଷରୁ ବର୍ଷିକିଆ ଚୁକ୍ତି ବାବଦରେ ଅନନ୍ୟା ଗ୍ରହଣ କରିଥିଲେ ୧୦ ଲକ୍ଷ ଟଙ୍କାର ଚେକ୍ । ଏହାପରେ ପ୍ରାୟୋଜକ ହିଣ୍ଡ୍ୱାର୍ ପକ୍ଷରୁ ୩ ଲକ୍ଷ, ହର୍ଲିକ୍ସ ପକ୍ଷରୁ ୨ଲକ୍ଷ, କୁଇକ୍ ହିଲ୍, ୟୁରେକା, ୯୯ ଏକର୍ସ୍୍.କମ୍ ଆଦି ୫ଟି ସଂସ୍ଥା ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ । ଏଥିସହିତ ତାଙ୍କୁ ମିଳିଥିଲା ୟାମ୍ହା ଆର୍ଏକ୍ସ-୧୦୦ ବାଇକ୍ । ଏହି ଗୌରବ ମୁହୂର୍ତ୍ତରେ ଉପସ୍ଥିତ ଥିଲେ ଅନନ୍ୟାଙ୍କ ବାପା ପ୍ରଶାନ୍ତ ନନ୍ଦ ଓ ମା’ ପ୍ରଶାନ୍ତି । ସୋନାକ୍ଷୀ ସିହ୍ନାଙ୍କଠାରୁ ଆରମ୍ଭ କରି ବାପା-ମା’ ସମସ୍ତେ ଚୁମା ଦେଇ ଅନନ୍ୟାଙ୍କୁ ଅଭିନନ୍ଦନ ଜଣାଇଥିଲେ । ରନର୍ସ ଅପ୍ ନାହିଦ୍ ଆଫ୍ରିନ୍ ମଧ୍ୟ ଅନନ୍ୟାଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିଲେ । ପୋଖରୀପୁଟ ଡିଏଭି ସ୍କୁଲ୍ର ଷ୍ଟାଣ୍ଡାର୍ଡ-୯ ଛାତ୍ରୀ ଅନନ୍ୟା (୧୪)ଙ୍କ ଇଚ୍ଛା ବୈଜ୍ଞାନିକ ହେବେ । ଏହାସତ୍ତ୍ୱେ ସଙ୍ଗୀତ ପ୍ରତି ତାଙ୍କର ଅସମ୍ଭବ ଦୁର୍ବଳତା ଆଜି ତାଙ୍କୁ ପହଞ୍ଚାଇଛି ଜାତୀୟ ସ୍ତରରେ । ପ୍ରଛଦପଟ୍ଟ ଗାୟିକା ଶ୍ରେୟା ଘୋସାଲ୍ଙ୍କ ପ୍ରଶଂସିକା । ସଂଗୀତ ନିର୍ଦ୍ଧେଶକ ଆନନ୍ଦଜୀ ତାଙ୍କ ଆଦର୍ଶ । ସୁଲଳିତ ସ୍ୱରରେ ଅନନ୍ୟା ଆଜି ‘ସାରି କେ ଫଲ୍ସା’, ‘ରାନୀ ତୁ ମୈ ରାଜା’, ‘ତମାନ୍ ଚେ ପେ ଡିସ୍କୋ’, ‘ସୱର ଲୁଁ’ ଓ ‘ହର୍ କିସିକୋ ନେହିଁ’ ଆଦି ସଂଗୀତ ଉପସ୍ଥିତ ବିଚାରକ ଓ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ବର୍ଷିଆନ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଅନନ୍ୟାଙ୍କୁ ଉତ୍ସାହିତ କରିବାରେ ଲାଗିଥିଲେ ।
ଆଜି ଅନୁଷ୍ଠିତ ଗ୍ରାଣ୍ଡ ଫାଇନାଲ୍ ପୂର୍ବରୁ ଗତ ୪ ତାରିଖରେ ଶେଷ ହୋଇଥିବା ଏସ୍ଏମ୍ଏସ୍ ଭୋଟିଂରେ ଅନନ୍ୟା ସର୍ବାଧିକ ଭୋଟ୍ ପାଇଥିଲେ । ଗ୍ରାଣ୍ଡ ଫାଇନାଲ୍ର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଏକମାତ୍ର ବାଳକ ବୈଷ୍ଣବ ଗିରିଶ (କେରଳ) କାଲି ଅନ୍ତର ହୋଇଥିବାବେଳେ ଚୂଡାନ୍ତ ପର୍ଯ୍ୟାୟରେ ଥିଲେ, ଅନନ୍ୟାଙ୍କ ସହ ଅନ୍ୟ ଦୁଇ ପ୍ରତିଯୋଗୀ ନିତ୍ୟଶ୍ରୀ ଭେଙ୍କଟରମଣନ୍ (ତାମିଲନାଡୁ) ଓ ନାହିଦ ଆଫ୍ରିନ୍ (ଆସାମ) । ଗତ ମେ’ ୩୦ରୁ ୩ ମାସରୁ ଊଦ୍ଧ୍ୱର୍କାଳ ଧରି ଜାରି ରହିଥିବା ପ୍ରତିଯୋଗିତାରେ ଅନନ୍ୟା ବିଗତ ୨୫ ରାଉଣ୍ଡରେ ବିଭିନ୍ନ କିଶୋର ପ୍ରତିଭାଙ୍କୁ ଅତିକ୍ରମ କରି ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଗତ ରାତି ତାଙ୍କ କଣ୍ଠରୁ ବଲିଉଡ୍ ଫିଲ୍ମର ଶାସ୍ତ୍ରୀୟ ଓ ପପ୍ ଗୀତର ମୂର୍ଚ୍ଛନାରେ ଫିଲ୍ମ ‘ୱେଲ୍କମ୍ ବ୍ୟାକ୍’ର କଳାକାର ଅନୀଲ କପୁର, ଜନ୍ ଆବ୍ରାହମ୍, ସୋନାକ୍ଷୀ ସିହ୍ନା, ସଙ୍ଗୀତ ନିର୍ଦ୍ଧେଶ ସଲିମ୍ ମର୍ଚ୍ଚାଣ୍ଟ, ବିସାଲ୍ ଦଦ୍ଲାନି ପ୍ରମୁଖ ବିମୋହିତ ହୋଇଥିଲେ ।
ଏହି ସଫଳତା ପାଇଁ ଅନନ୍ୟାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସେ କହିଛନ୍ତି, ତାଙ୍କ ସଫଳତା ରାଜ୍ୟକୁ ଗର୍ବିତ କରିଛି ।

ସେଆର କରନ୍ତୁ:



Powered by odothemes.com