20-GHARAPODI

ଅଗ୍ନିକାଣ୍ଡ ଖବର ଶୁଣି ମା’ର ପ୍ରାଣବାୟୁ ଉଡ଼ିଗଲା

9

ଦୁଇ ଦୁଇ ଥର ଘର ପୋଡ଼ିଗଲା
ଡେରାବିଶ(ଆପ୍ର): କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭଇ ବନ୍ଧୁ କୁଟୁମ୍ବକୁ ଧରି ଆସେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଡେରାବିଶ ବ୍ଲକ୍ ପଲେଇ ପଞ୍ଚାୟତ ଅନ୍ତର୍ଗତ ସବଳଙ୍ଗ ଗାଁରେ । ପଞ୍ଚାୟତ ଅଧୀନ ସବଳଙ୍ଗ ଗାଁର କ୍ଷୀରୋଦ ସାମଲଙ୍କ ପରିବାରକୁ ଗୋଟିଏ ପରେ ଗୋଟିଏ ବିପଦ କିପରି ମାଡ଼ି ବସିଛି ତାହା ଜାଣିଲେ ଯେକେହି ଦୁଃଖରେ ଭାଙ୍ଗିପଡ଼ିବ ।
କ୍ଷୀରୋଦ ସାମଲ ଜଣେ ସାଧାରଣ କୃଷକ ଭାବେ ଚାଷବାସ କରି ପରିବାରର ପ୍ରତିପୋଷଣ କରନ୍ତି । ତାଙ୍କର ବୃଦ୍ଧ ପିତା ସଦାନନ୍ଦ, ମାତା ଆଶାଲତା ଓ ପନôୀ ପିଲାଙ୍କୁ ନେଇ ସଂସାର । କିଛିଦିନ ହେବ ତାଙ୍କ ମାତା ଆଶାଲତା ଦୂରାରୋଗ୍ୟରେ ପୀଡ଼ିତ ଥାଇ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ । ଘରେ ପୁଅ କ୍ଷୀରୋଦ ଓ ବୋହୂ ରହିଥିବା ବେଳେ ଗୁରୁବାର ରାତି ୧୦ଟାରେ ତାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଦମକଳଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଦମକଳଗାଡ଼ି ଫେରି ଯାଇଥିଲା । କିଛି ସମୟର ବ୍ୟବଧାନ ପରେ ପାଉଁଶ ତଳୁ କୁହୁଳା ନିଆଁରୁ ଘରେ ପୁନର୍ବାର ରାତି ୨ଟା ବେଳକୁ ନିଆଁ ଲାଗିଯାଇଥିଲା । ଗ୍ରାମବାସୀ ଓ ପରିବାର ସଦସ୍ୟ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇନଥିଲେ । ନିଦ ଭାଙ୍ଗିବା ବେଳକୁ ଘରଟି ପୁନର୍ବାର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଗାଡ଼ି ପହଞ୍ଚିବା ବେଳକୁ କ୍ଷିରୋଦଙ୍କର ୨ବଖରରା ଘର ଜଳି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡ ଫଳରେ କ୍ଷୀରୋଦଙ୍କ ଘରେ ଥିବା ସମସ୍ତ ଆସବାବ ପତ୍ର ସମେତ ବର୍ଷକର ଆହାର (ଧାନ, ଚାଉଳ ଓ ପୋଷାକ) ପୋଡ଼ି ପାଉଁଶ ହୋଇଯାଇଛି ।
ଅପରପକ୍ଷେ ଶୁକ୍ରବାର ସକାଳୁ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ମା’ ଆଶାଲତା ଘରପୋଡ଼ି ଯାଇଥିବା ଖବର ଶୁଣି ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । କିଛି ସମୟ ବ୍ୟବଧାନରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଅଗ୍ନିକାଣ୍ଡରେ ବାସହରା ହୋଇପଡ଼ିଥିବା କ୍ଷୀରୋଦଙ୍କ ମା’ଙ୍କ ପରଲୋକ ଖବର ଶୁଣି ସତେ ଯେପରି ଦୁଃଖର ପାହାଡ଼ ଲଦିହୋଇପଡ଼ିଥିଲା ତାଙ୍କର ଉପରେ । ଖବର ପାଇ ପଲେଇ ଆର୍ଆଇ ପଲ୍ଲବ ପ୍ରତିମ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି । ଦୁଃଖରେ ଆଉଟୁ ପାଉଟୁ ହେଉଥିବା ଏହି ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com